ଧ୍ୱଂସସ୍ତୁପ ତଳେ ବିରୁଟ :ଅଢେଇ ଲକ୍ଷ ଲୋକ ବାସହୀନ ହୋଇଥିବା ଆଶଙ୍କା, ଲେବାନନରେ ଜରୁରୀ ପରିସ୍ଥିତି ଜାରି

ବିରୁଟ : ମଧ୍ୟପ୍ରାଚ୍ୟ ଦେଶ ଲେବାନନର ରାଜଧାନୀ ବିରୁଟରେ ଗତ ମଙ୍ଗଳବାରଦିନ ହୋଇଥିବା ଭୟଙ୍କର ବିସ୍ଫୋରଣ ଫଳରେ ସମଗ୍ର ବିରୁଟ ନଗରୀ ଛାରଖାର ହୋଇଯାଇଛି । ପ୍ରାୟ ୨ ରୁ ୨.୫ ଲକ୍ଷ ଲୋକ ବାସହୀନ ହୋଇଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ବିରୁଟର ଗଭର୍ଣ୍ଣର କହିଛନ୍ତି ଯେ ଏହି ବିସ୍ଫୋରଣ ଫଳରେ ପ୍ରାୟ ୨ରୁ ୨.୫ ଲକ୍ଷ ଲୋକ ବାସହୀନ ହୋଇଯାଇଛନ୍ତି । ସେହିପରି ଏହା ଦ୍ୱାରା ୩ରୁ ୫ ବିଲିୟନ ଡଲାରର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧ ଶହ ଟପିଯାଇଛି ଓ ଆହତ ସଂଖ୍ୟା ୪ ହଜାରରେ ପହଞ୍ଚିଛି । କିନ୍ତୁ କେତେକ ସ୍ଥାନୀୟ ଅଧିକାରୀଙ୍କ ମତରେ ମୃତ୍ୟୁସଂଖ୍ୟା ଆହୁରି ଅନେକ ବଢିପାରେ କାରଣ ଧ୍ୱଂସସ୍ତୁପ ତଳୁ ଅନେକ ଶବ ବାହାରିବାରେ ଲାଗିଛି । ଅନେକ ସ୍ଥାନରେ ଏବେ ବି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଭାବେ ବଢିପାରେ ।
ଅନ୍ୟପକ୍ଷରେ ଏହି ବିସ୍ଫୋରଣ ପରେ ଲେବାନନ କ୍ୟାବିନେଟର ଏକ ଜରୁରୀ ବୈଠକ ବସି ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ରାଷ୍ଟ୍ରପତି ମାଇକେଲ ଅଉନ କହିଛନ୍ତି ଯେ ଏହି ଘଟଣାପାଇଁ ଦାୟୀ ଲୋକମାନଙ୍କୁ ଛଡ଼ାଯିବ ନାହିଁ ।
ଏହି ଘଟଣା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ ଆସନ୍ତା ଗୁରୁବାରଦିନ ଲେବାନନ ଗସ୍ତରେ ଯାଇ ସେଠାକାର ନେତାମାନଙ୍କ ସହ ସହାୟତା ସଂପର୍କରେ ଆଲୋଚନା କରିବେ ।

କରୋନା ମୃତ୍ୟୁସଂଖ୍ୟାରେ ବ୍ରିଟେନ୍କୁ ଟପିଲା ଭାରତ
ନୂଆଦିଲ୍ଲୀ : ଦେଶରେ ମୋଟ୍ ସଂକ୍ରମଣ ମାମଲା ୨୩ ଲକ୍ଷ ୯୬ ହଜାର ୬୩୮ରେ ପହଞ୍ଚିଛି। ତେବେ ଦେଶରେ ଏବେ ସକ୍ରିୟ ମାମଲା ୬ ଲକ୍ଷ ୫୩ ହଜାର ୬୨୨ ଥିବାବେଳେ ୧୬ ଲକ୍ଷ ୯୫ ହଜାର ୯୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍ ୪୭ ହଜାର ୩୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗୁରୁବାର ଗୋଟିଏ ଦିନରେ ସର୍ବାଧିକ ୮ ଲକ୍ଷ ୩୦ ହଜାର ୩୯୧ ନମୁନା ପରୀକ୍ଷା ହୋଇଛି.......

ଇସଲାମାବାଦରେ ଦୁଇଜଣ ଭାରତୀୟ ଦୁତାବାସର ଅଧିକାରୀ ନିଖୋଜ
ନୂଆଦିଲ୍ଲୀ : ପାକିସ୍ତାନରୁ ଏକ ବଡ ଖବର ଆସିଛି। ଇସଲାମାବାଦରେ ଥିବା ଭାରତୀୟ ଦୁତାବାସର ଦୁଇଜଣ ଭାରତୀୟ ଅଧିକାରୀ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ବୋଲି ଏଏନ୍ଆଇ ରିପୋର୍ଟ କରିଛି।
ଇସଲାମାବାଦରେ ସରକାରୀ କାର୍ଯ୍ୟରେ ଥିବାବେଳେ ସୋମବାର (ଜୁନ୍ ୧୫) ସକାଳୁ ଦୁଇଜଣ ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀ ନିଖୋଜ ହୋଇଯାଇଛନ୍ତି।
ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଏହା ରିପୋର୍ଟ କରାଯାଇଛି।
ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଦୁଇ ଅଧିକାରୀ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଅଛନ୍ତି ଏବଂ ଏହି ପ୍ରସଙ୍ଗରେ ଭାରତ ପକ୍ଷରୁ ଏକ ସରକାରୀ ଅଭିଯୋଗ ପଞ୍ଜିକରଣ ହୋଇଛି।
ସୂଚନାଯୋଗ୍ୟଯେ, ଭାରତ ବିରୋଧରେ ଗୁପ୍ତଚର ଅଭିଯୋଗରେ ଧରାପଡ଼ିବା ପରେ ଭାରତ ଦିଲ୍ଲୀର ଦୁଇ ପାକିସ୍ତାନୀ ହାଇ କମିଶନ ଅଧିକାରୀଙ୍କୁ ବହିଷ୍କାର କରିବାର କିଛି ଦିନ ପରେ ଏହି ଘଟଣା ଘଟିଛି।
ଦୁଇ ପାକିସ୍ତାନୀ ଅଧିକାରୀ ନୂଆଦିଲ୍ଲୀରେ ହାଇ କମିଶନଙ୍କ ଭିସା ବିଭାଗରେ କାର୍ଯ୍ୟ କରୁଥିଲେ।
ମେ ୩୧ ରେ, ଭାରତୀୟ କର୍ତ୍ତୃପକ୍ଷ ଏକ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଖୋଜିବାକୁ ଚେଷ୍ଟା କରୁଥିବାବେଳେ ଦିଲ୍ଲୀର କରୋଲବାଗରେ ଦୁଇ ପାକିସ୍ତାନୀ ହାଇ କମିଶନ ଅଧିକାରୀଙ୍କୁ ଧରିଥିଲେ।

ଋଷିଆର ବାର୍ଷିକ ପରେଡରେ ଭାଗ ନେବ ଭାରତର ୩ ସେନା
ନୂଆଦିଲ୍ଲୀ : ପ୍ରଥମ ଥର ଭାରତ ନିଜର ୩ ସେନାକୁ ଋଷିଆର ରାଜଧାନୀ ମସ୍କୋରେ ରେଡ ସ୍କାୟାରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରେଡକୁ ପଠାଇବ । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଭାରତର ସ୍ଥଳସେନା ଅଂଶଗ୍ରହଣ କରୁଥିଲା । କିନ୍ତୁ ଏଥର ଜୁନ ୨୪ରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ତିନି ସେନାର ଯବାନମାନେ ଅଂଶଗ୍ରହଣ କରିବେ । ଋଷିଆ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇଥିଲା । ମହାମାରୀ କରୋନା ଭାଇରସ କାରଣରୁ ପ୍ରଧାନମନ୍ତ୍ରୀ ଯିବା ସୁନିଶ୍ଚିତ ହୋଇ ନାହିଁ । କିନ୍ତୁ ଭାରତର ତିନି ସେନା ନିଜର ବଳ ପ୍ରଦର୍ଶନ କରିବେ । ଋଷିଆ ସିହତ ଘନିଷ୍ଠ ସଂପର୍କ ରଖିବା ଯୋଗୁଁ ଚୀନର ଚିନ୍ତା ବଢ଼ିଯାଇଛି ।
ଋଷିଆରେ ପ୍ରତିବର୍ଷ ମେ’ ମାସ ୯ତାରିଖରେ ବିଜୟ ଦିବସ ଅବସରରେ ପରେଡ ଆୟୋଜିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ପାଇଁ ନିର୍ଦ୍ଧାରିତ ତାରିଖରେ ଆୟୋଜନ ହୋଇପାରି ନାହିଁ । ୧୯୪୫ରେ ନାଜୀ ଜର୍ମାନୀଙ୍କ ଆତ୍ମସମର୍ପଣ ପାଇଁ ଏହାକୁ ପାଳନ କରାଯାଇଥାଏ । ଗତ ବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନରେନ୍ଦ୍ର ମୋଦୀଙ୍କୁ ପରେଡ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ତାଙ୍କର ସ୍ଥାନରେ ଜଳ, ସ୍ଥଳ ଓ ବାୟୁସେନାର ୭୦ରୁ ୮୦ ଜଣ ଯବାନ ଜୁନ ୧୯ରେ ମସ୍କୋ ଅଭିମୁଖେ ଯାତ୍ରା କରିବେ । ଚଳିତ ବର୍ଷ ଋଷିଆରେ ୭୫ତମ ବିଜୟ ଦିବସ ପାଳନ ହେଉଛି ।

ବିବାଦୀୟ ମାନଚିତ୍ରକୁ ନେପାଳ ସଂସଦର ମଞ୍ଜୁରୀ, ସମ୍ବିଧାନ ସଂଶୋଧନ ବିଲ୍ ପାରିତ
କାଠମାଣ୍ଡୁ ୧୦।୬: ନେପାଳର ସଂସଦରେ ଦେଶର ନୂତନ ତଥା ବିବାଦୀୟ ମାନଚିତ୍ରରେ ଉପସ୍ଥାପିତ ହୋଇଥିବା ସାମ୍ବିଧାନିକ ସଂଶୋଧନ ବିଲ୍ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଭାରତ ସହିତ ବିବାଦ ମଧ୍ୟରେ ନେପାଳ ଏହି ନୂତନ ମାନଚିତ୍ରରେ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାଙ୍କୁ ନିଜ ଅଞ୍ଚଳରେ ଦର୍ଶାଇଛି । ଦେଶର ମାନଚିତ୍ରରେ
ପରିବର୍ତ୍ତନ ଆଣିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶିବମାୟା ଥମ୍ବୁଙ୍ଗଫେଙ୍କ ଦ୍ବାରା ଏହା ଉପସ୍ଥାପିତ ହୋଇଥିଲା ।ଏହି ସମ୍ବିଧାନ ସଂଶୋଧନ ବିଲ୍ ବର୍ତ୍ତମାନ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ଅନୁମୋଦନ ପାଇଁ ପଠାଯିବ। ଦସ୍ତଖତ ହେବା ମାତ୍ରେ ନୂତନ ମାନଚିତ୍ର ଆଇନ ମାନ୍ୟତା ପାଇବ । ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ନେପାଳ ସଂସଦରେ ଏହି ମାନଚିତ୍ର ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱଲୀ ପୁଣିଥରେ ଭାରତ ସହ ବୁଝାମଣା କରିବାକୁ ଅନୁରୋଧ କରିଛନ୍ତି ।ଗତ ମାସରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସଂସଦରେ ଉପସ୍ଥାପିତ ହେବ କିନ୍ତୁ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଅଲି କହିଛନ୍ତି ଯେ, ସେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଚାହୁଁଛନ୍ତି ଯାହା ପରେ ଏହାକୁ ଆଗକୁ ନିଆଯାଇପାରିବ ନାହିଁ । ବିଧେୟକରେ ସମ୍ବିଧାନର ତୃତୀୟ ଅନୁସୂଚୀରେ ଅନ୍ତର୍ଭୁକ୍ତ ନେପାଳର ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି । ସମ୍ବିଧାନରେ ସଂଶୋଧନ ପାଇଁ ସଂସଦରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ।ଭାରତର ଲିପୁଲେଖରେ ମାନସରୋବର ଲିଙ୍କ୍ ସୃଷ୍ଟି ଉପରେ ନେପାଳ ଦୃଢ ପ୍ରତିକ୍ରିୟା ପ୍ରକାଶ କରିଥିଲା । ନେପାଳ ଦାବି କରିଥିଲା ଯେ, ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରା ନେପାଳ ଅଧୀନରେ ଆସୁଛି । ନେପାଳ ଏହାର ଉତ୍ତରରେ ନିଜର ନୂତନ ମାନଚିତ୍ର ପ୍ରକାଶ କରିଦେଇଥିଲା ଯେଉଁଥିରେ ଏହି ତିନୋଟି କ୍ଷେତ୍ର ଦର୍ଶାଯାଇଛି । ଏହି ମାନଚିତ୍ରକୁ ଯେତେବେଳେ ଦେଶର ସଂସଦରେ ପାରିତ ହେବା ପାଇଁ ସମ୍ବିଧାନରେ ସଂଶୋଧନ ଆଣିବାବେଳେ ସମସ୍ତ ଦଳ ଏକାଠି ହୋଇଥିଲେ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତ ପ୍ରତି କଠୋର ମନୋଭାବ ରଖିଥିଲେ ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେତେବେଳେ ଲିପୁଲେଖରୁ କୈଳାସ ମାନସରୋବର ଯିବା ରାସ୍ତା ଉଦଘାଟନ କରିଥିଲ ସେତେବେଳେ ନେପାଳ ଏହାର ବିରୋଧ କରିଥିଲା । ଏହାପରେ ମେ’ ୧୮ରେ ନେପାଳ ନୂଆ ନକ୍ସା ଜାରି କରିଥିଲା । ଭାରତ ସଫାସଫା କହିଥିଲା ଯେ, ନେପାଳକୁ ଭାରତର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତା ସମ୍ମାନ କରିବା ଉଚିତ୍ । ନେପାଳର ନେତୃତ୍ବଙ୍କୁ ଏପରି ମାହୋଲ ସୃଷ୍ଟି କରିବା ଉଚିତ୍ ଯାହାଦ୍ବାରା ଆଲୋଚନ କରାଯାଇପାରିବ ।