
କରୋନା ମୃତ୍ୟୁସଂଖ୍ୟାରେ ବ୍ରିଟେନ୍କୁ ଟପିଲା ଭାରତ
ନୂଆଦିଲ୍ଲୀ : ଦେଶରେ ମୋଟ୍ ସଂକ୍ରମଣ ମାମଲା ୨୩ ଲକ୍ଷ ୯୬ ହଜାର ୬୩୮ରେ ପହଞ୍ଚିଛି। ତେବେ ଦେଶରେ ଏବେ ସକ୍ରିୟ ମାମଲା ୬ ଲକ୍ଷ ୫୩ ହଜାର ୬୨୨ ଥିବାବେଳେ ୧୬ ଲକ୍ଷ ୯୫ ହଜାର ୯୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମୋଟ୍ ୪୭ ହଜାର ୩୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଗୁରୁବାର ଗୋଟିଏ ଦିନରେ ସର୍ବାଧିକ ୮ ଲକ୍ଷ ୩୦ ହଜାର ୩୯୧ ନମୁନା ପରୀକ୍ଷା ହୋଇଛି। ଏଯାବତ୍ ମୋଟ୍ ୨ କୋଟି ୬୮ ଲକ୍ଷ ୪୫ ହଜାର ୬୮୮ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
ଭାରତରେ ମୃତ୍ୟୁସଂଖ୍ୟା ୪୭ ହଜାର ଟପିବା ସହ ଭାରତ ମୃତ୍ୟୁସଂଖ୍ୟାରେ ବ୍ରିଟେନ୍କୁ ଟପିଯାଇଛି। ଆମେରିକା, ବ୍ରାଜିଲ୍ ଓ ମେକ୍ସିକୋ ପରେ ଭାରତ ମୃତ୍ୟୁସଂଖ୍ୟାରେ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୱାର୍ଲ୍ଡମିଟର ତଥ୍ୟ ଅନୁଯାୟୀ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୪୬ ହଜାର ୭୦୬ ରହିଛି। ଅନ୍ୟପକ୍ଷେ ବିଶ୍ବରରେ ଭାରତର ମୃତ୍ୟୁହାର ସବୁଠାରୁ କମ୍ ରହିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୫୬ ହଜାର ୩୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର ମଧ୍ୟ ୧.୯୬ ପ୍ରତିଶତ ରହିଛି। ଅନ୍ୟପକ୍ଷେ ବ୍ରିଟେନ୍ରେ ମୃତ୍ୟୁହାର ୧୪.୯ ରହିଛି। ଭାରତରେ ପ୍ରତି ୧୦ ଲକ୍ଷ ଲୋକରେ ୩୪ ଜଣଙ୍କ ମୃତ୍ୟୁ ହେଉଛି। ଯାହା ଅନ୍ୟ ରାଷ୍ଟ୍ର ତୁଳନାରେ ବହୁତ କମ୍। ବ୍ରିଟେନ୍ରେ ପ୍ରତି ୧୦ ଲକ୍ଷ ଲୋକରେ ୬୮୮ ଜଣ, ଆମେରିକାରେ ପ୍ରତି ୧୦ ଲକ୍ଷରେ ୫୦୮ ଜଣଙ୍କ ମୃତ୍ୟୁ ହେଉଛି।